ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୦୯/୦୫: ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା । ବର୍ଣ୍ଣବୈଷମ୍ୟ ଉପରେ ବୟାନ ଦେଇ ବିବାଦରେ ଫସିବା ପରେ ପିଟ୍ରୋଡା ପଦ ଛାଡିଛନ୍ତି । ଏନେଇ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପିଟ୍ରୋଡା ନିଜ ଇଛାରେ ପଦ ଛାଡିଛନ୍ତି ଓ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରିନିଆଯାଇଛି । ପିଟ୍ରୋଡାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କୁ ବିବାଦୀୟ ଭାବେ ଅନ୍ୟମାନଙ୍କ ସହ ସେ ତୁଳନା କରିଥିଲେ । ପୂର୍ବ ଭାରତର ଲୋକଙ୍କୁ ସେ ଚୀନ ଓ ଦକ୍ଷିଣ ଭାରତର ଲୋକଙ୍କୁ ଆଫ୍ରିକା ଲୋକଙ୍କ ସହ ତୁଳନା କରିଥିଲେ । ସେ କହିଥିଲେ, ଏହା ଆମ ଉପରେ କୌଣସି ଫରକ ପକାଉନାହିଁ । ବରଂ ଆମେ ସମସ୍ତେ ଭାଇ-ଭଉଣୀ ଭଳି ଚଳୁଛନ୍ତି । ସେହିିପରି ପୂର୍ବରୁ ଉତ୍ତରାଧିକାରୀ ଟ୍ୟାକ୍ସ କଥା କହି ବିବାଦକୁ ଆସିଥିଲେ ସାମ୍ ପିଟ୍ରୋଡା ।