ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ

ନୂଆଦିଲ୍ଲୀ,୧୩/୦୭: ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ ହୋଇଛି । ଆସନ୍ତା ରବିବାର ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଞ୍ଚିଛି ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହାସହ ଜଳମଗ୍ନ ରାସ୍ତାରେ ନଯିବାକୁ ଲୋକଙ୍କୁ ସେ ଅପିଲ କରିଛନ୍ତି । ଜରୁରୀକାଳୀନ ସ୍ଥିତିରେ ପରସ୍ପରକୁ ସହଯୋଗ କରିବା ସହ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କରିବାକୁ କହିଛନ୍ତି କେଜ୍ରିୱାଲ ।