ନୂଆଦିଲ୍ଲୀ,୧୮/୧୨: ଦିଲ୍ଲୀରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହା ପୂର୍ବରୁ ଭୋଟ୍ ହାତେଇବାକୁ ବଡ଼ ଗେମ୍ ଖେଳିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀର ସମସ୍ତ ବୟସ୍କଙ୍କ ପାଇଁ ‘ସଞ୍ଜିବନୀ ଯୋଜନା’ର ଘୋଷଣା କରିଛି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର । ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ମାଗଣା ମେଡିକାଲ ସେବା ଯୋଗାଇଦେବେ ଦିଲ୍ଲୀ ସରକାର । ତେବେ ରାଜନୈତିକ ମହଲରେ ଏବେ ଦିଲ୍ଲୀ ସରକାରର ଏହି ଯୋଜନାକୁ ନେଇ ଚର୍ଚ୍ଚା ବଢିଛି । ବିଜେପି ଗୋଟିଏ ପଟେ ବିଜେପି ଆୟୁଷ୍ମାନ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟପଟେ ଆପ୍ ଏବେ ସଞ୍ଜିବନୀ ଯୋଜନାର ଘୋଷଣା କରି ବିଜେପିକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ।
ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ଏବେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ ହେଉନି । ଯାହାକୁ ନେଇ ଅନେକ ସମୟରେ ଆପ୍ ସରକାରକୁ ଟାର୍ଗେଟ କରିଥାଏ ବିଜେପି । ଅନ୍ୟପଟେ ଆପର କହିବା କଥା, ଆୟୁଷ୍ମାନ ଯୋଜନାଠୁ ଦିଲ୍ଲୀ ସରକାରର ନିଜର ହେଲଥ୍ ସ୍କିମ୍ ଭଲ ଅଟେ । ତେଣୁ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ କରାଯାଉନି ବୋଲି ଆପ୍ କହିଛି ।