ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା: ୧୪ ଆଇନଜୀବୀ ଗିରଫ

ଭୁବନେଶ୍ୱର, ୧୩/୧୨: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ୧୪ଜଣ ଆଇନଜୀବୀଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏବେ ବି ଚଢ଼ଉ ଜାରି ରହିଛି।ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ । ସେହିପରି ସମ୍ବଲପୁର କଚେରୀ ଛକରୁ ୫୦୦ ମିଟରରେ ୧୪୪ ଧାରା ଜାରି କରାଯାଇଛି। ନିଷିଦ୍ଧାଂଚଳ ମଧ୍ୟରେ କୌଣସି ସଭାସମିତି ହୋଇପାରିବ ନାହିଁ । ଏହା ସହ ୫ରୁ ଅଧିକ ଲୋକ ନିଷିଦ୍ଧାଞ୍ଚଳରେ ଏକାଠି ହୋଇପାରିବେ ନାହିଁ। ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁର ବାର ଆସୋସିଏସନ୍ର ଆନ୍ଦୋଳନକାରୀ ଓକିଲ କୋର୍ଟରେ ପଶି ଭଙ୍ଗାରୁଜା କରିଥିଲେ ।ଏହି ଅଭାବନୀୟ ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି।