ନୂଆଦିଲ୍ଲୀ, ୦୯/୦୩: ୟୁକ୍ରେନ ଉପରେ ରୁଷ୍ ବଡ଼ ଧରଣର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରୁଷ୍ ୧୪୫ଟି କାମିକାଜେ ଡ୍ରୋନ୍, ୨ଟି ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଗୋଟିଏ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରି ଡୋନେସ୍କ ଅଂଚଳର ଅନେକ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ଧ୍ବଂସ କରିଛି। ଏହି ଆକ୍ରମଣରେ ଅତିକମ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ୟୁକ୍ରେନକୁ ସାମରିକ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଆମେରିକା ବନ୍ଦ କରିବାର ମାତ୍ର ଦୁଇ ଦିନ ପରେ ଏହି ଆକ୍ରମଣ ହୋଇଛି । ଆମେରିକାର ନୀତି ପରିବର୍ତ୍ତନ ମଧ୍ୟରେ ଏଭଳି ଆକ୍ରମଣ ସମଗ୍ର ୟୁରୋପରେ ଆତଙ୍କ ଖେଳାଇ ଦେଇଛି। ସୂଚନାଯୋଗ୍ୟ ଯେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେଉଥିବା ୟୁରୋପୀୟ ସଂଘକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚେତାବନୀର ଦୁଇ ଦିନ ପରେ ଏଭଳି ଆକ୍ରମଣ କରାଯାଇଛି।