ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?

ଭୁବନେଶ୍ୱର,୧/୦୩: ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କଟକ ଓ ଭୁବନେଶ୍ବର ଡିସିପିଙ୍କ ବଦଳି ହୋଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଏହି ପଦବି ପାଇଁ ଖିଲାରୀ ରିଷିକେଶଙ୍କୁ ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍‌ ଡିଆଇଜି ଭାବେ ବଦଳି ହୋଇଛି । ରାଜ୍ୟ ସରକାର ଏସ୍‌ ଏମ୍‌ ନରୱାଣେଙ୍କୁ ଓଏଚ୍‌ଆରସିର ସ୍ବତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରିଛନ୍ତି । ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍‌ଆରପିସିରେ ଏଡିଜି, ଆଇଜି ଏସ୍‌ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ, ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଦୀପକ କୁମାରଙ୍କୁ ଆଇଜି ଅପରେସନ୍‌, ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗ, ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି-ସିବିର ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ଆଇଜିପି, ଉମାଶଙ୍କର ଦାସଙ୍କୁ ହୋମଗାର୍ଡ ଓ ଫାୟାର ସର୍ଭିସର ଡିଆଇଜି, ଅଖିଳେଶ୍ବରଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜିପି, ଚରଣ ସିଂ ମୀନାଙ୍କୁ ପ୍ରୋଭିଜନିଂ ଡିଆଇଜି, ବି ଗଙ୍ଗାଧରଙ୍କୁ ସିଆଇଡି-ସିବିର ଡିଆଇଜି, ବିବେକାନନ୍ଦ ଶର୍ମାଙ୍କୁ କଟକ ରେଲୱେ ଏସପିର ଦାୟିତ୍ବ ମିଳିଛି । ଏହାବାଦ୍ କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀରର ନୂଆ ଏସପି ଦାୟିତ୍ବ ମିଳିଛି। ବୌଦ୍ଧ ଏସପି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ଦାୟିତ୍ବ ଦିଆଯାଇଛି । ରାହୁଲ ଗୋଏଲଙ୍କୁ ବୌଦ୍ଧ, କଶ୍ୟପ ପାର୍ଥ ଜଗଦୀଶଙ୍କ ଜୟପୁର ଏସଡିପିଓ, ଅମୃତପାଲ ସିଂଙ୍କୁ ଖୋର୍ଦ୍ଧାର ଅତିରିକ୍ତି ଏସପି, ଅମ୍ରିତପାଲ କୌରଙ୍କୁ ଭୁବନେଶ୍ୱର ସହରାଞ୍ଚଳର ଅତିରିକ୍ତ ଡିସିପି, ସୋନାଲୀ ସିଂ ପରମାରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଏସିପି ଭାବେ ଦାୟିତ୍ୱ ମିଳିଛି ।