ଆସନ୍ତା ୧୮ ତାରିଖରେ ପୁଣି ଥରେ ଖୋଲାଯିବ ଭିତର ରତ୍ନଭଣ୍ଡାର

ଭୁବନେଶ୍ୱର, ୧୬/୦୭: ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ ଏଗାରଜଣିଆ କମିଟିର ଏକ ଜରୁରୀ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ। ସେ କହିଛନ୍ତି, ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା ୧୮ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ପୁଣିଥରେ ଖୋଲାଯାଇ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ। ଖଟଶେଯ ଘରେ ହୋଇଥିବା ଅସ୍ଥାୟୀ ଭିତର ଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏହି ସମସ୍ତ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ କରାଯିବ। ଗତ ୧୪ ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା ୩ଟି ଯାକ ତାଲା ଟ୍ରେଜେରିରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ। କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା। ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା ୩ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି। ଏଥି ସହିତ ୨ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଛି। ସେହି ୨ଟି ଚାବି ଆଣି ୧୮ ତାରିଖରେ, ସେଦିନ ଲାଗିଥିବା ନୂଆ ତାଲା ଖୋଲାଯିବ ।