ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ପହଞ୍ଚିଲା ଆଜ୍ଞାମାଳ

ପୁରୀ,୩୦/୦୬: ରାତି ପାହିଲେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଅନ୍ୟପଟେ ତିନିବାଡରୁ ପହଞ୍ଚିଛି ଆଜ୍ଞାମାଳ । କିଛି ସମୟ ପରେ ପରେ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ । ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ସେପଟେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଅନ୍ୟପଟେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ଓ ଦରଜୀ ସେବାୟତ । ଏହାପରେ ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣିନେଇ ଉତ୍ତର ମୋଡ ଦେବେ । ଆଜି ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଥିବାରୁ ଭକ୍ତଙ୍କ ପାଇଁ ମାତ୍ର ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୫ଟାପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

୨ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଆଖି ଆଗରେ ରଖି ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନ ଫୁଲଦମ୍‌ରେ ଲାଗିଛନ୍ତି । କେମିତି ହେବ ଶୃଙ୍ଖଳିତ ରଥଯାତ୍ରା ଏବଂ ସୁରକ୍ଷା ବ୍ୟବସ୍ଥା, ଏଥିପାଇଁ ପୁଲିସ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ତା’ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦେଖି ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କୁ ଭିଡ଼କୁ ନ ଆସିବାରୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।