ରଥାରୂଢ ହେଲେ ଶ୍ରୀଜୀଉ,ଏବେ ଛେରାପହଁରା ଓ ରଥଟଣାକୁ ଅପେକ୍ଷା

ଭୁବନେଶ୍ୱର,୨୦/୦୬: ଶ୍ରୀଜୀଉଙ୍କ ସରିଲା ପହଣ୍ଡି କାର୍ଯ୍ୟ। ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଭଦ୍ର, ମାତା ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀର ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। କାଳିଆ ଠାକୁରଙ୍କ ପହଣ୍ଡି ସରିବା ପରେ ତିନି ରଥରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।ଏବେ ଭକ୍ତମାନେ ମହାପ୍ରଭୁଙ୍କ ଛେରାପହଁରା ଓ ରଥଟଣାକୁ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।

ସେହିପରି ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ସାଢ଼େ ୨ଟାରୁ ଛେରାପହଁରା ଆରମ୍ଭ ହେବ। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହେବ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ।