ରଥଯାତ୍ରାରେ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଲାଗୁ

ପୁରୀ,୧୧/୦୬: ଆଉଅ ହାତ ଗଣତି କେଇଟା ଦିନ ଗଲେ ମହାପ୍ରଭୁଙ୍କ ରଥଯାତ୍ରା। ରଥାରୂଢ ହେବେ ଶ୍ରୀଜୀଉ। ରଥଯାତ୍ରା ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବ। ଏହା ପରେ ବାହୁଡ଼ା ଯାତ୍ରା ହେବ। ପରେପରେ ସୁନାବେଶ, ଅଧରପଣା ନୀତି ଓ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ। ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ରଥଯାତ୍ରା ସମୟରେ ଯେପରିକି କୌଣସି ଅଘଟଣ ନଘଟେ, ସେଥିପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ ପୁରୀ ପୁଲିସ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା ଲାଗୁ କରିଛି। ଡ୍ରୋନ ଉଡ଼ାଣ କଟକଣା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି।
ପୁରୀ ପୁଲିସ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ସମୟରେ ଅନେକ ଲୋକ ଡ୍ରୋନ୍‌ ସାହାଯ୍ୟରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରି ଭାରଇରାଲ କରିବାକୁ ଉଦ୍ଦେଶ୍ୟ ରଖିଥାନ୍ତି। ଏଭଳି କରାଯିବା ଦ୍ବାରା ଭକ୍ତଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ତେଣୁ ଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ତିନି ରଥ, ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୨୩ ଜୁନ୍‌ ୨୦ ତାରିଖ (ରଥଯାତ୍ରା) ଠାରୁ ଜୁଲାଇ ୧ (ନିଳାଦ୍ରୀ ବିଜେ) ପର୍ଯ୍ୟନ୍ତ ପୁରୀ ସହର ବିଶେଷ ଭାବେ ଗ୍ରାଣ୍ଡରୋଡରେ ଡ୍ରୋନ୍‌ ଉଡାଇବା ନେଇ କଟକଣା ଜାରି ହୋଇଛି।