ସେପ୍ଟେମ୍ବର ୩ରେ ହେବ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ, ୭/୦୮: ସେପ୍ଟେମ୍ବର ୩ରେ ହେବ ରାଜ୍ୟସଭା ନିର୍ବାଚନ । ଓଡିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏନେଇ ନିର୍ବାଚନ ଆୟୋଗ ବୁଧବାର ତାରିଖ ଘୋଷଣା କରିଛନ୍ତି ।ବିଜ୍ଞପ୍ତି ମୁତାବକ, ଆସନ୍ତା ଅଗଷ୍ଟ ୧୪ରେ ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଅଗଷ୍ଟ ୨୧ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି । ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।