ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ , ଜାଣନ୍ତୁ କେବେ ହେବ ମତଦାନ ?

ନୂଆଦିଲ୍ଲୀ,୧୧/୧୦: ରାଜସ୍ଥାନ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ନଭେମ୍ବର ୨୩ ପରିବର୍ତ୍ତେ ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । କେବଳ ଭୋଟଗ୍ରହଣ ପାଇଁ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଅନ୍ୟ କୌଣସି ତାରିଖ ପରିବର୍ତ୍ତନ ହୋଇନାହିଁ । ଅଥାର୍ତ ୨୫ରେ ନିର୍ବାଚନ ହେଲେ ମଧ୍ୟ ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ ରାଜସ୍ଥାନରେ ୨୩ ନଭେମ୍ବରରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ବିଭିନ୍ନ ସାମାଜିକ ସଙ୍ଗଠନ ଏହି ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । କାରଣ ୨୩ ନଭେମ୍ବରରେ ରାଜସ୍ଥାନରେ ଅଧିକ ମାତ୍ରାରେ ବାହାଘର ରହିଛି । ତେଣୁ ଏହିଦିନ ନିର୍ବାଚନ ହେଲେ ମତଦାନ ହ୍ରାସ ପାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ ।