ଗଣପର୍ବ ଆଜି ରଜର ଦ୍ବିତୀୟ ଦିନ ମିଥୁନ ସଂକ୍ରାନ୍ତି

ଭୁବନେଶ୍ୱର,୧୫/୦୬: ସଜବାଜ ଓ ପହିଲି ରଜ ପରେ ଆଜି ଗଣପର୍ବ ରଜର ଦ୍ବିତୀୟ ଦିନ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ ।  ରଜ ସଂକ୍ରାନ୍ତିରେ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବିଭିନ୍ନ ଦେବା ଦେବୀଙ୍କ ପୀଠ ଦର୍ଶନ କରି ରଜର ଦ୍ବିତୀୟ ଦିନ ପାଳୁଛନ୍ତି ରାଜ୍ୟବାସୀ ।

ସେହିପରି ଦ୍ୱିତୀୟ ଦିବସ ରଜ ସଂକ୍ରାନ୍ତି ପରେ ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ ।

ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।