ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ,ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨/୧୦:  ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ଏବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ହୋଇ ଲଘୁଚାପ ରୂପରେ ରହିଛି । ଆଗାମୀ କିଛି ଘଣ୍ଟାରେ ଏହା ଅବପାତ ଓ ପରେ ଗଭୀର ଅବପାତର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର ଆକନଳ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହୋଇ ୨୫ ତାରିଖରେ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨୩ ରାତିରୁ ଉପକୂଳରେ ବର୍ଷା ଆରମ୍ଭ ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ପ୍ରବଳ ବର୍ଷା ଲାଗି ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।ସେହିପରି ୨୪ରୁ ୨୫ ତାରିଖ ଭିତରେ ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳରେ ବର୍ଷାର ପରିମାଣ ବଢିବା ସହ ପବନ ବି ବଢିବ । ତେଣୁ ୨୪ରେ ୫ ଜିଲ୍ଲା ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତାସହ ୨୫ରେ ଉତ୍ତର ଉପକୂଳର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ତଟବର୍ତ୍ତୀ ଅଞ୍ଚଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବାର ଆକଳନ କରାଯାଇଛି ।