ପ୍ରବଳ ବର୍ଷା ନେଇ ୯ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୦/୮: ଛତିଶଗଡ ମୁହାଁ ସକ୍ରିୟ ଅବପାତ ଆଜି ଦୁର୍ବଳ ହେବ । ଏହା ପ୍ରଭାବରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି । ୯ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଉତ୍ତରପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ । ଏଣୁ ଆସନ୍ତା ୧୧ ତାରିଖ ଯାଏ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି ।

ଫଳରେ କିଛି କିଛି ସ୍ଥାନରେ ମୌସୁମୀଜନିତ ବର୍ଷା ମଧ୍ୟ ଜାରି ରହିଛି । ଆଜି ମଧ୍ୟ ରାଜ୍ୟରେ ଲଘୁଚାପର ପ୍ରଭାବ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟର ଅନ୍ୟ କିଛି ଜିଲ୍ଲା ଯଥା, ନୂଆପଡ଼ା, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲା‌‌ରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି ।