ପ୍ରବଳ ବର୍ଷା ନେଇ ରାଜ୍ୟର ୧୧ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର,୫/୮: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ଜିଲ୍ଲାଗୁଡିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ବହୁତ ଅଧିକ ରହିଛି। ତେବେ, ରାଜ୍ୟର ୧୧ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରପଡ଼ା ଓ ଭଦ୍ରକ ପ୍ରଭୃତି ୧୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ଏହି ୧୧ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।