ଭୁବନେଶ୍ୱର,୧/୦୪: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜିଠୁ ବଦଳିପାରେ ପାଣିପାଗର ମିଜାଜ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨ ଦିନ ଯାଏଁ ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ନୂଆପଡା, ବୌଦ୍ଧ ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଏହି ଜିଲ୍ଲାରେ ୩୦ରୁ ୪୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ୨ ତାରିଖରୁ ବର୍ଷାର ପରିମାଣ ବଢିବ । ଅର୍ଥାତ ହାଲୁକରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ । ୨ ତାରିଖରେ ବିଜୁଳି ଘଡଘଡି ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ୪୦ରୁ ୫୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ୪ ତାରିଖ ପରେ ପୁଣି ଖରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।