ଭୁବନେଶ୍ୱର,୨୧/୦୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପୂର୍ବାହ୍ନ ସୁଦ୍ଧା ୧୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ସମସ୍ତ ଜିଲ୍ଲାଗୁଡ଼ିକ ହେଉଛି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ବାଲେଶ୍ୱର, ବରଗଡ଼ ଓ ନୂଆପଡ଼ା। ପରବର୍ତ୍ତୀ ୨୪ ଘଣ୍ଟାରେ ୪ଜିଲ୍ଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମଧ୍ୟ ଆଲର୍ଟ କରାଯାଇଛି। ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସିଙ୍କ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୩ ତାରିଖ ଠାରୁ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପୁଣିଥରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି।