ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୬/୦୬: ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ମୌସୁମୀ ବାୟୁ ଏବେ କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ଥିବା ବେଳେ ଏବେ ଏହା ଆଗକୁ ବଢିବା ପାଇଁ ପାଗ ଅନୁକୂଳ ରହିଛି । ଆଜି ଉପକୂଳ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି ।ଅନ୍ୟପଟେ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ସମେତ ଅନେକ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଗୁଳୁଗୁଳି ନେଇ ସତର୍କତା ଜାରି କରାଯାଇଛି ।