ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୮/୦୬:  ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ। ତେବେ ଆସନ୍ତା ୨୪ଘଣ୍ଟା ଭିତରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।  ୬ ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ବେଳେ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୬ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିଝଡ଼ କାଳରେ ଏହିସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ।

ଏତଦ୍‌ବ୍ୟତୀତ ଏହି ସମୟ ମଧ୍ୟରେ ଢ଼େଙ୍କାନାଳ, ଯାଜପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ପ୍ରଭୃତି ୯ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଟୁଇନ୍‌ ସିଟି ଭୁବନେଶ୍ୱର ଓ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ  ବର୍ଷା/ବଜ୍ରପାତ ହେବାର ସମ୍ଭାବନା ରହିଛି।