ରାଜ୍ୟରେ ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୨୪/୦୫:  ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ପାଣିପାଗର ଏପରି ସ୍ଥିତି ଆଗକୁ ଆହୁରି କିଛିଦିନ ପାଇଁ ଜାରି ରହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ସେହିପରି ଉପକୂଳ ଓଡ଼ିଶାରେ ପାରା ୪୦ ଡିଗ୍ରି ଟପିବ। ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଣ୍ଟା ପ୍ରତି  ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ।ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।