ଆସୁଛି ବାତ୍ୟା, ଓଡ଼ିଶାରେ ପଡିବ କି ପ୍ରଭାବ!

ଭୁବନେଶ୍ୱର, ୩୦/୧୧:  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ଆଜି ଟୁଇଟ୍ କରି ସୂଚନା ଦେଇଛି ।ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଡ଼ିପ୍ରେସନରେ ପରିଣତ ହେବାର ଅନୁମାନ କରାଯାଇଛି । କିନ୍ତୁ ଏହା ଓଡିଶା ଉପରେ ପ୍ରଭାବ ପଡିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହା ପ୍ରଭାବରେ ଡ଼ିସେମ୍ବର ୨ ଓ ୩ରେ ଲଗାଣ ବର୍ଷାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ନଭେମ୍ବର ୩୦ ଓ ଡ଼ିସେମ୍ବର ୧ରେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୨ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଲଘୁଚାପ ପ୍ରଭାବରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଢ଼େଙ୍କାନାଳ ଆଦି କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ, ପୁରୀ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୩ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ସତର୍କ କରାଯାଇଛି । ଏନେଇ ଏସଆରସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଚାଷୀଙ୍କୁ ବିଲରୁ ଧାନ କାଟି ଆଣିବାକୁ ପରାମର୍ଶ ଦିଆଯାଇଛି । ଏହାସହ ମସ୍ତ୍ର୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।