ରାଜ୍ୟରେ ୯ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮/୦୩: ପଶ୍ଚିମାଝଡର ସର୍ବାଧିକ ପ୍ରଭାବ ଆଜି ଉପକୂଳ ଓଡିଶାରେ ଅନୁଭୂତ ହେବ । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଓଡିଶାର ୯ଟି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ସମ୍ଭାବନା ରହିଛି । ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଏବଂ ପୁରୀ ଏହି ୯ ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ବର୍ଷା ଆଶଙ୍କା ରହିଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି କଟକ, ଯାଜପୁର, ଢେଙ୍କାନାଳ ଏହି ୩ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଗତ ତିନିଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ରହିଥିଲା । ଏହାସହ କିଛି ସ୍ଥାନରେ ବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇଛି ।