ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଗତ ୪୮ ଘଣ୍ଟା ଧରି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବ । ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏସବୁ ଦ୍ବାରା ସମଗ୍ର ମଧ୍ୟଭାରତରେ ମୌସୁମୀ ସକ୍ରିୟ ରହିଛି । ବଙ୍ଗୋପସାଗରରେ ନୂଆ ଅବପାତ ସୃଷ୍ଟି ହେବା ପରେ ମୌସୁମୀ ଆହୁରି ସକ୍ରିୟ ହେବ । ବିଶେଷକରି ଓଡ଼ିଶା, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ଦେଖାଦେଇଥିବା ବର୍ଷା ନିଅଣ୍ଟ ଅଂଚଳରେ ମୌସୁମୀ ସକ୍ରିୟ ହେବା ସହ ଭଲ ବର୍ଷା ହେବ । ଫଳରେ ଏସବୁ ରାଜ୍ୟରେ ନିଅଣ୍ଟିଆ ସ୍ଥିତିର ଭରଣା ହେବ ।