୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୬/୬: ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏ ପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୭ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଳାରେ କାଳବୈଶାଖୀର ସମ୍ଭାବନା ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳ ଗୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ସମ୍ବଲପୁର, କୋରାପୁଟ, ମାଲକାନାଗିରି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୪ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏବଂ କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି।