ରାୟବରେଲିରୁ ରାହୁଲ ଗାନ୍ଧୀ ଓ ଆମେଥି ଆସନରୁ ଲଢ଼ିବେ କିଶୋରୀ ଲାଲ

ନୂଆଦିଲ୍ଲୀ,୩/୦୫: : ବହୁ ଦିନରୁ ଲାଗିରହିଥିବା ସସପେନ୍ସରୁ ପରଦା ହଟିଛି ।ରାୟବରେଲିରୁ ନାମାଙ୍କନ ଭରିବେ ରାହୁଲ । ମା’ ସୋନିଆ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ । ଶେଷ ମୁହୁର୍ତ୍ତରେ ରାହୁଲଙ୍କୁ ରାୟବରେଲିରୁ ଲଢ଼ିବାକୁ ଘୋଷଣା କରିଛି ଏଆଇସିସି । ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସର ଗଡ଼ ଥିବା ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ । ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଶେଷ ସମୟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏହି ଦୁଇଟି ଆସନ କଂଗ୍ରେସର ଗଡ଼ ଭାବେ ଜଣାଶୁଣା । ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍ମୃତି ଇରାନୀ । ଚଳିତ ନିର୍ବାଚନରେ ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେଣୁ ନିଜ ଗଡ଼ ରକ୍ଷା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ ।