ଆସନ୍ତା ୩୧ରେ ଓଡିଶା ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

ଭୁବନେଶ୍ବର,୨୬/୧୦: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆସନ୍ତା ୩୧ ତାରିଖରେ ଶପଥ ଗ୍ରହଣ କରିବେ। ସେ ଆସନ୍ତା ୨୯ ତାରିଖରେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆସନ୍ତାକାଲି ଓଡ଼ିଶା ଛାଡ଼ିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ‌ାୟକ ତାଙ୍କୁ ରାଜଭବନ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ନୂଆ ରାଜ୍ୟପାଳ ରଘୁବର ଦାସ ଗତକାଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ଏବଂ ଏହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଥିଲେ। ଝାଡ଼ଖଣ୍ଡର ଜାମସେଦପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଦୁନିଆରେ କେଉଁ କାମ ଅସମ୍ଭବ ନୁହେଁ।