ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତଦାନ

ନୂଆଦିଲ୍ଲୀ,୧୮/୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ବିଭିନ୍ନ ରାଜ୍ୟର ବିଧାନସଭା, ସଂସଦରେ ୧୦ଟାରୁ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ସବୁଠୁ ବଡ଼ ପଦବୀ ପାଇଁ ନିର୍ବାଚନ ମୈଦାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଦ୍ରୌପଦୀଙ୍କ ସମର୍ଥନରେ ୪୪ଟି ଦଳ ରହିଥିବା ବେଳେ ଯଶସ୍ୱନ୍ତଙ୍କ ସମର୍ଥନରେ ୩୪ଟି ଦଳ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହୁଏ ନାହିଁ । ବିଭିନ୍ନ ରାଜନୈତିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ଘୋଷଣା କରିଛନ୍ତି ।

ସେହି ଆଧାରରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କଠାରୁ ଆଗରେ ଅଛନ୍ତି । ପ୍ରାୟ ୪ ହଜାର ୮୦୦ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଏହି ମତଦାନରେ ଭାଗନେବେ । ମୁର୍ମୁଙ୍କ ସପକ୍ଷରେ ୬୦ ପ୍ରତିଶତରୁ ଅଧିକ ଭୋଟ୍ ପଡ଼ିବ ବୋଲି ଆଶା କରାଯାଉଛି । ମୋଟ୍ ୧୦ ଲକ୍ଷ ୮୬ ହଜାର ୪୩୧ ମୂଲ୍ୟ ଭୋଟ୍ ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟ ଭୋଟ୍ ମିଳିବାର ସମ୍ଭାବନା ରହିଛି । ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମେତ ତେଲଗୁ ଦେଶମ, ଶିବ ସେନା, ଜେଏମ୍ଏମ୍ ଭଳି ଅନେକ ଆଂଚଳିକ ଦଳ ସମର୍ଥନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଭୋଟ୍ ଗଣତି କରାଯିବ । ନୂଆ ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଶପଥ ନେବେ ।