ରାଷ୍ଟ୍ରପତି ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା

ନୂଆଦିଲ୍ଲୀ,୯/୬: ରାଷ୍ଟ୍ରପତି ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ଲାଗି ୧୫ ଜୁନ ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୮ ଜୁଲାଇରେ ଭୋଟ ଗ୍ରହଣ ଓ ୨୧ ଜୁଲାଇରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି । ସାଂସଦମାନେ ସଂସଦରେ ଭୋଟ ଦେଇପାରିବେ । ବିଭିନ୍ନ ରାଜ୍ୟର ବିଧାୟକମାନେ ବିଧାନସଭାରେ ଭୋଟ ଦେଇ ପାରିବେ । ଜଣେ ପ୍ରାର୍ଥୀଙ୍କ ଲାଗି ୫୦ ଜଣ ପ୍ରସ୍ତାବକ ରହିପାରିବେ ବୋଲି କମିଶନ କହିଛନ୍ତି ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪ ହଜାର ୮୦୯ ଜଣ ମତଦାନ କରିବେ । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି ଜାତୀୟ ନିର୍ବାଚନ କମିଶନର । ଲୋକସଭା ଓ ରାଜ୍ୟସଭା ଉଭୟ ସଦନର ୭୦୦ ଜଣ ସଦସ୍ୟ ଭୋଟ୍ ଦେଇପାରିବେ । ଆଉ ଯେଉଁ ସଦସ୍ୟ ଜେଲରେ ଅଛନ୍ତି ସେମାନେ ପାରୋଲରେ ଆସି ବୋଟ୍ ଦେଇ ପାରିବେ ବୋଲି ସୂଚନା ଦେଇଛନ୍ତି ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ।

ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତାର ତିନିଦିନ ପରେ ଜୁଲାଇ ୨୦ରେ ବିଧିବଦ୍ଧ ଭାବେ ଫଳ ଘୋଷଣା କରାଯାଇଥିଲା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକ ଏବଂ ଲୋକସଭା ଓ ରାଜ୍ୟସଭା ସାଂସଦ ଭୋଟ୍ ଦେଇ ରାଷ୍ଟ୍ରପତି ନିର୍ବାଚନ କରିଥାନ୍ତି ।