ଆସନ୍ତା ୪ରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୪/୧୧: ଆସନ୍ତା ୪ରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥିସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଆଜି ପୁରୀ ଗସ୍ତରେ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।

ସୁରକ୍ଷା ଦାୟିତ୍ୱରେ ସମୁଦାୟ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। ଭୁବନେଶ୍ଵର ଠାରୁ ପୁରୀ ଏବଂ ସମ୍ପୂର୍ଣ୍ଣ ପୁରୀ ସହରରେ ଟ୍ରାଫିକ୍ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ନୌସେନା ଦିବସ ଅବସରରେ ୨୫ଟି ଜାହାଜ ସହ ୪୦ଟି ଏୟାରକ୍ରାଫ୍ଟ ଶୋ’ ଦେଖିବାର ସୁଯୋଗ ପାଇବେ ଦର୍ଶକ।