ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ରଶାନ୍ତ ଶତପଥୀ, ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଭୁବନେଶ୍ୱର,୨୪/୦୪: ମନରୁ ଲିଭୁନି ପହଲଗାମ ଆତଙ୍କୀ ହମଲା । ଆଉ ଏହି ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ତାଙ୍କ ପତ୍ନୀଙ୍କୁ ମିଳିବ ସରକାରୀ ଚାକିରି , ପୁଅର ପାଠପଢା ଖର୍ଚ୍ଚ ବହନ କରିବେ ସରକାର । ଏହାସହ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦିଆଯିବ । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଶାନ୍ତଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିବା ପରେ ପୂରା ଗାଁ ଶୋକରେ ବୁଡିଯାଇଛି , ଆଉ ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ କିଛି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶେଷ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ନିଜେ ଭାବବିହ୍ୱଳ ହୋଇପଡିଥିଲେ । ମୁଖ୍ୟମନ୍ତ୍ରୀ ଏଭଳି ବର୍ବର କାଣ୍ଡକୁ କଡା ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ ଯଥାସାଧ୍ୟ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *