ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ,୨୫/୭: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନରେ କୁହାଯାଇଛି ଯେ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ। କିନ୍ତୁ ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ବାଣପୁର ବ୍ଲକ୍ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରଥମେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦିଆଯାଇଥିଲା ଏବଂ ସେ ଅନ୍ତରୀଣ ଜାମିନରେ ଆସିଥିଲେ। ଏହା ପରେ ହାଇକୋର୍ଟ ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହିତ ବାଣପୁର ତଳକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ବାରା ଏସ୍ଏଲ୍ପି ଦାଖଲ କରାଯାଇଥିଲା।