ଭୁବନେଶ୍ୱର,୧୯/୦୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୫ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହା ତାଙ୍କର ୧୧୮ ତମ ମନ କି ବାତ କାର୍ଯ୍ୟକ୍ରମ । ଚଳିତ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର ବୋଲି କହିଛନ୍ତି ମୋଦି । କାରଣ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଦେଶ । ଚଳିତ ବର୍ଷ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ହେବାକୁ ଯାଉଛି । ୨୫ ଜାନୁଆରୀରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଯେଉଁଥିପାଇଁ ଏହି ଦିନଟିକୁ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି ।
ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ନିର୍ବାଚନ ହୋଇଥିଲା, ସେତେବେଳେ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା ଯେ, କଣ ଦେଶର ଲୋକତନ୍ତ୍ର ଜୀବିତ ରହିବ ? ଆମ ଦେଶର ଲୋକତନ୍ତ୍ର ସବୁ ଆଶଙ୍କାକୁ ଭୁଲ ସାବ୍ୟସ୍ତ କରି ଗଣତନ୍ତ୍ରର ଜନନୀର ପରିଚୟ ହାସଲ କରିଛି । ଗତ ଦଶନ୍ଧୀରେ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି । ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।