ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର,୧୬/୦୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହେବେ ।

ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ ରହିବ। ସେହିପରି ମୋଦିଙ୍କ ଗସ୍ତବେଳେ ଓଡ୍ରାଫ ଟିମ୍‌ ଏବଂ ୬ କଂପାନୀ ସିଆରପିଏଫ୍ ମଧ୍ୟ ମୁତୟନ ରହିବେ । କେବଳ ଏତିକି ନୁହେଁ, ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ବି ପୁଲିସ ମୁତୟନ ରହିବେ । ପ୍ରଧାନମନ୍ତ୍ରୀ ମୋଦି ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ଦିନ ୧୧ଟା ୩୫ମିନିଟରେ ପହଂଚି ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଜନତା ମଇଦାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଇଛି ।

ଆସନ୍ତାକାଲି ମୋଦିଙ୍କ ଗସ୍ତ ନିମନ୍ତେ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *