ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ,୧୯/୦୯: ଅଧିକ ମହିଳା ନେତା ବନିବା ନେଇ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ବିଲକୁ ଆଜି ସଂସଦରେ ଆଗତ କରାଯାଇଛି । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଗତକାଲି ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଲୋକସଭାରେ ଆଗତ ହେବା ପରେ ବିରୋଧୀ ମଧ୍ୟ ଏହାକୁ ଏକ ସ୍ୱରରେ ସମର୍ଥନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମହିଳା ସଶକ୍ତିକରଣ ଓ ମହିଳାଙ୍କୁ ନେତୃତ୍ୱ କ୍ଷେତ୍ରରେ ଏହି ସମ୍ବିଧାନ ସଂଶୋଧନ ବିଲ ବିଶେଷ ସହାୟକ ହେବ ବୋଲି ମୋଦୀ ଦୃଢୋକ୍ତି କରିଛନ୍ତି । ଏହା ଗଣତନ୍ତ୍ରକୁ ଅଧିକ ସୃଦୃଢ କରିବ ବୋଲି କହିଛନ୍ତି ମୋଦୀ ।