ମନ୍ତ୍ରପାଠ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପୂଜାବିଧି ଆରମ୍ଭ

ଭୁବନେଶ୍ୱର,୧୨/୦୧: ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ଏହା ପୂର୍ବରୁ ମନ୍ତ୍ରପାଠ ଉଚ୍ଚାରଣ ସହ ପୂଜାପାଠ ଆରମ୍ଭ ହୋଇଛି। ଯଜ୍ଞ ପାଇଁ ପରମ୍ପରା ମୁତାବକ ଗୁଆ ଟେକିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଯଜ୍ଞ ପାଇଁ ୧୦୮ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରିଛନ୍ତିି  । ତାପରେ ବିଧି ଅନୁସାରେ ଯଜ୍ଞମଣ୍ଡପର ଐଶାନ୍ୟ କୋଣରେ ଅଙ୍କୁରାରୋପଣ ହେବ । ଆସନ୍ତାକାଲି ଅଙ୍କୁର ପୂଜନ କରାଯିବ । ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । ୧୫ ରେ ଅଖଣ୍ଡ ଦୀପ ସ୍ଥାପନ, ପଂଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ହେବ । ୧୬ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ମଣ୍ଡଳ ପୂଜା, ହବନ, ଆରତି ଓ ପୁଷ୍ପାଞ୍ଜଳି ଦିଆଯିବ । ୧୭ ତାରିଖରେ ଗଜପତି ମହାରାଜା ପୂର୍ଣ୍ଣାହୁତି ଦେବେ । ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ ।