ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ, ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଭୁବନେଶ୍ୱର,୧୨/୧୧: ଆଜି ପବିତ୍ର କାର୍ତିକ ମାସରେ ପଞ୍ଚକ ବ୍ରତ ଆରମ୍ଭ । ପଞ୍ଚକ ବ୍ରତର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋର ୪ଟାରୁ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କ ଦ୍ୱାରଫିଟା, ମଙ୍ଗଳ ଆରତୀ ବଢି ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଶୃଙ୍ଗାର କରାଯାଏ । ଶ୍ରୀଭୁଜ, ଶ୍ରୀପୟର, ବଳା, ସୁବର୍ଣ୍ଣ କିଆ, ପଦକ ମାଳା, ହରିଡ଼ା ମାଳା ଓ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଦ୍ୱାରା ଚତୁର୍ଧାମୂର୍ତ୍ତି ସୁସଜିତ ହୋଇ ଅଗଣିତ ଶ୍ରଦ୍ଧାଳୁ ଓ ବ୍ରତଧାରିଣୀଙ୍କୁ ଦର୍ଶନ ଦେଉଛନ୍ତି । ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚକ ଯାତ୍ରା ଅନ୍ୟତମ ହୋଇଥିବା ବେଳେ ଆଜିର ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପଞ୍ଚକ ପାଇଁ ଆଠଗଡ଼ରେ ବାବା ଧବଳେଶ୍ବରଙ୍କ ନିକଟରେ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପଞ୍ଚକ ପାଇଁ କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଜମିଛି।