ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଓ ବୈଠକ ଭତ୍ତାରେ ବୃଦ୍ଧି, ଜାଣନ୍ତୁ କିଏ ପାଇବେ କେତେ?

ଭୁବନେଶ୍ୱର,୧୨/୦୩: ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଓ ବୈଠକ ଭତ୍ତାରେ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା ମଧ୍ୟ ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା ମଧ୍ୟ ୩୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନେ ୩,୫୩୦ ଟଙ୍କା ପାଉଥିଲେ । ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିଲେ । ଏବେ ୭,୫୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଏବେ ୭,୫୦୦ ଟଙ୍କା ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ନାଏବ ସରପଞ୍ଚମାନେ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏବେ ୪,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷ ,ଉପାଧକ୍ଷ ,ପଞ୍ଚାୟତ ସମିତି ସଭ୍ୟ , ସରପଞ୍ଚ ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବରମାନଙ୍କର ଦୈନିକ ଭତ୍ତା ୨୪୦ ଟଙ୍କାରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।