ପଞ୍ଚାୟତ ନିର୍ବାଚନ: ଭୋଟ ପାଇଁ ମିଳିବ ଛୁଟି

ଭୁବନେଶ୍ୱର, ୧୪/୨: ରାଜ୍ୟରେ ଏବେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ଏବେ ସରଗରମ ଅଛି। ଏହାରିମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁଥିବା କର୍ମଚାରୀଙ୍କ ପାଇଁ ଦରମା ପ୍ରଦାନ ସହ ଛୁଟି ଦେବା ପାଇଁ ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ଦିନ ପାଇଁ ଛୁଟି ଦିଆଯିବ। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ବାଣିଜ୍ୟ ଓ ଶିଳ୍ପାନୁଷ୍ଠାନ ନିଜ ନିଜ ଅଞ୍ଚଳ ପାଇଁ ସ୍ଥିର ହୋଇଥିବା ମତଦାନ ତାରିଖ ଦିନ ସେମାନଙ୍କ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ସରକାର ଏ ବାବଦରେ ଏକ ଚିଠି ଲେଖିଛନ୍ତି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ଏକ ଚିଠି ଜାରି କରିଛନ୍ତି।  ଯେକୌଣସି ବ୍ୟବସାୟ, ବାଣିଜ୍ୟ, ଶିଳ୍ପାନୁଷ୍ଠାନ କିମ୍ବା ଅନ୍ୟ ପ୍ରତିଷ୍ଠାନରେ ନିୟୋଜିତ ଏବଂ ଉକ୍ତ ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦରମା ପ୍ରଦାନ କରାଯିବ।