ପଞ୍ଚାୟତ ନିର୍ବାଚନ: ରାଜ୍ୟରେ ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିତ୍ବ କାଏମ

ଭୁବନେଶ୍ୱର,୨୩/୧: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି।ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିତ୍ବ କାଏମ ରହିଛି। ଗତକାଲି ନାମାଙ୍କନ ଯାଞ୍ଚ ପରେ ରାଜ୍ୟ ନିର୍ବାଚନ କମିସନ ଏହି ସୂଚନା ଦେଇଛନ୍ତି।

୨୩୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ ପ୍ରକ୍ରିୟାରେ ନାକଚ ହୋଇଥିବା ବେଳେ ୩ ହଜାର ୭୬୭ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ୧୭୫୩ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମନୋନୟନ ପତ୍ର ବିଭିନ୍ନ କାରଣରୁ ନାକଚ ହୋଇଛି। ଅନ୍ୟପକ୍ଷରେେ ରାଜ୍ୟରେ ୩୨ ହଜାର ୮୬୦ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ରହିଛି। ୧୧୧୯ ଜଣଙ୍କ ସମିତି ସଭ୍ୟ ପ୍ରାର୍ଥିତ୍ବ ନାକଚ ପରେ ୨୭ ହଜାର ୩୪ ପ୍ରାର୍ଥିତ୍ବ କାଏମ ରହିଛି। ସେହିପରି ୫ ହଜାର ୫୪୪ ଜଣଙ୍କ ୱାର୍ଡମେମ୍ବର ପ୍ରାର୍ଥିତ୍ବ ଯାଞ୍ଚ ପ୍ରକ୍ରିୟାରେ କଟିଛି। ୧ ଲକ୍ଷ ୫୬ ହଜାର ୭୫୩ ଜଣ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛିି। ୨୫ରେ ନାମାଙ୍କନ ପ୍ରତ୍ୟାହାର ପରେ  ପ୍ରକୃତ ପ୍ରାର୍ଥୀଙ୍କ ସଂଖ୍ୟା ଜଣାପଡ଼ିବ।

ସୂଚନା ଯୋଗ୍ୟ ଯେ ସାରା ରାଜ୍ୟରେ ନାମାଙ୍କନ କରିଥିଲେ ମୋଟ ୨ ଲକ୍ଷ ୨୯ ହଜାର ୬୨ ପ୍ରାର୍ଥୀ। ସେମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର ପାଇଁ ଲକ୍ଷ ୬୨,୨୯୭, ସରପଞ୍ଚ ପଦବୀ ପାଇଁ ୩୪,୬୧୩ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ସେହିପରି ସମିତି ସଭ୍ୟ ପଦବୀ ପାଇଁ ୨୮,୧୫୩ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ୩୯୯୯ ପ୍ରାର୍ଥୀ ନାମାଙ୍କନ କରିଥିଲେ।