ଭୁବନେଶ୍ୱର,୨୫/୦୪: ଏବେ ବି ପହଲଗାମ୍ ଆକ୍ରମଣର ଦୃଶ୍ୟ ମନରୁ ଲିଭିନି। ଏଥିପାଇଁ ଆକ୍ସନ ମୋଡରେ ଅଛନ୍ତି ଭାରତ ସରକାର । ଦେଶରେ ରହୁଥିବା ସମସ୍ତ ପାକିସ୍ତାନୀ ଭାରତରୁ ବିଦା ହେବେ । ଏଥିପାଇଁ ସବୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ପାକ୍ ନାଗରିକଙ୍କୁ ଭାରତରୁ ତଡିବାକୁ ଗୃହମନ୍ତ୍ରୀ ଅମିତ୍ ଶାହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଦୀର୍ଘକାଳୀନ ଭିସା ଜରିଆରେ ଓଡ଼ିଶାରେ ରହୁଥିବା ୧୨ଜଣ ପାକିସ୍ତାନୀଙ୍କୁ ତଡିବାକୁ ପ୍ରକ୍ରିୟା ଆରମ୍ଭ କରିଛି ରାଜ୍ୟ ଗୃହ ବିଭାଗ । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଚିହ୍ନଟ କରି ନୋଟିସ ଦିଆଯାଇଛି । ତୁରନ୍ତ ଭାରତ ଛାଡିବା ପାଇଁ କୁହାଯାଇଛି । ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ଗୃହ ବିଭାଗର ସ୍ବତନ୍ତ୍ର ଟିମ୍ ।
ଆକ୍ରୋଶର ଶିକାର ହେବାର ସମ୍ଭାବନା ଥିବାରୁ ପାକିସ୍ତାନୀ ନାଗରିକଙ୍କ ପରିଚୟ ଗୁପ୍ତ ରଖାଯାଇଛି । ଯେମିତି କିଛି ଅଘଟଣ ନଘଟେ ସେଥିପାଇଁ ଅତି ସତର୍କତାର ସହିତ ଗୃହ ବିଭାଗ ପଦକ୍ଷେପ ନେଉଛି ।