ଆହାଃ କି ଆନନ୍ଦ ପଖାଳ ପାଣି, ଓଡ଼ିଆଙ୍କ ପରିଚୟ ସବୁଠି ଆଦର

ଭୁବନେଶ୍ୱର,୨୦/୦୩: ଆହାଃ କି ଆନନ୍ଦ ପଖାଳ ଭାତ। ଆଜି ବିଶ୍ୱ ପାଳୁଛି ପଖାଳ ଦିବସ। ପଖାଳକୁ ପରିଚୟ ଦରକାର ନାହିଁ । ପଖାଳ ପ୍ରତିଟି ଓଡ଼ିଆର ପରିଚୟ, ଜଣେ ଗରିବର ଦାମୀ ଖାଦ୍ୟ, ଅଭାବୀର ଶେଷ ଆଶା, ଭୋକ ମେଣ୍ଟାଉଥିବାର ପରିଭାଷା । ଦାରୁଦିଅଁଙ୍କ ଛପନ ଭୋଗରେ ହେଉ କି ଦୁଃଖୀରଙ୍କୀର ନିତିଦିନିଆ ଖାଦ୍ୟ, ସେଠି ଏଠି ସବୁଠି ଶୀଘ୍ର ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ ମଧ୍ୟରୁ ପଖାଳ ଭାତ ହେଉଛି ସମସ୍ତଙ୍କ ପ୍ରିୟ ।ପଖାଳ ସହ ଖାଦ୍ୟ କହିଲେ, ବଡ଼ିଚୁରା, ମାଛ ଭଜା, ଶାଗ ଭଜା, ଆମ୍ବ ଧନିଆ ଚଟଣି, ତେନ୍ତୁଳି ଖଟା ଆଦି ଲାଗିଥାଏ । ସେଥିପାଇଁ ତ ଚାଳିଆଠୁ ଆରମ୍ଭ କରି ଫାଇଭ୍ ଷ୍ଟାର ହୋଟେଲ ମାନଙ୍କରେ ଏବେ ପଖାଳ ବି ଏକ ମେନ୍ୟୁ ଭାବେ ରହିଛି ।

ଆଜି ବି ଯଦି ଆପଣ ସହରୀ ରାଇଜରୁ ଆଖି ଫେରାଇ ଗାଁର ଗଳିକନ୍ଦି ଅଗଣାକୁ ଅନେଇବେ, ବଡ଼ିଚୁରା, ଶାଗ ଭଜା ସହ ପଖାଳ ବେଲାଏ ଦେଖିବାକୁ ପାଇବେ । କାରଣ ଅଦିନିଆ ମେଘ ପରି ସହରରେ ପାଳନ ହୁଏ ପଖାଳ ଦିବସ । ହେଲେ ଗାଁ ଗହଳିରେ ପଖାଳ ପ୍ରତିଦିନ ପାଳନ ହେଉଥିବା ପର୍ବ, ସଜ ପଖାଳ ଭଳି ସବୁଦିନିଆ ସୁଖ ।