ପଦ୍ମପୁର ଉପନିର୍ବାଚନ: ୨୩ ରାଉଣ୍ଡରେ ହେବ ଭୋଟ୍ ଗଣତି

ଭୁବନେଶ୍ୱର,୭/୧୨: ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଇଭିଏମ୍‌ ଭିତରେ ବନ୍ଦ ରହିଛି ଓ ଆସନ୍ତାକାଲି ଭୋଟ ଗଣତି ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କ ସୂଚନା ମୁତାବକ ସମୁଦାୟ ୨୩ ରାଉଣ୍ଡରେ ଭୋଟ ଗଣତି ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ସକାଳ ୮ଟା ୩୦ରେ ଇଭିଏମ ଗଣତି ଆରମ୍ଭ ହେବ । ୩୧୯ଟି ବୁଥର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବାକୁ ଥିବାବେଳେ ବୁଥ ଓ ପ୍ରାର୍ଥୀ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡ ଗଣତି ହେବ । ୧୧ଜଣ ପ୍ରାର୍ଥୀ ଥିବାରୁ ଗଣତି ଅଧିକ ସମୟ ଲାଗିବ ବୋଲି କୁହାଯାଇଛି । ସମସ୍ତ ବୁଥ ଗଣତି ସରିଲେ ୫ଟି ବୁଥର ଭିଭିପ୍ୟାଟ ମ୍ୟାଚ କରାଯିବ । ଉଲ୍ଲେଖ ଥାଉ କି ସଦ୍ୟ ଉପନିର୍ବାଚନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ନିଜ ପୂର୍ବ ଭୋଟ୍‌ହାର ରେକର୍ଡ ଭାଙ୍ଗିଥିଲା । ଏଥର ୮୧.୨୯ ପ୍ରତିଶତ ମତଦାନ ହୋଇଛି। ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ଏଠାରେ ସର୍ବାଧିକ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା।