ପାଚିକାଙ୍କ ପାରିଶ୍ରମିକ ୨ହଜାର ଟଙ୍କାକୁ ବୃଦ୍ଧି, କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ହେଲେ ମିଳିବ ୧ ଲକ୍ଷର ଅନୁକମ୍ପା ରାଶି

ଭୁବନେଶ୍ୱର,୧୮/୦୨:ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ଯୋଜନାରେ କାମ କରୁଥିବା ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି କାର୍ଯ୍ୟକାଳ ମଧ୍ୟରେ ପାଚିକା ଓ ସହାୟିକାଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ।

ପୂର୍ବରୁ ମାସକୁ ୧୪୦୦ ଟଙ୍କା ପାଉଥିବା ବେଳେ ଏହା ଏବେ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଫଳରେ ରାଜ୍ୟରେ ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପ୍ରାୟ ୧ ଲକ୍ଷ ୧୦ ହଜାର ପାଚିକା ଓ ସହାୟିକା ଉପକୃତ ହେବେ । ଏଥିପାଇଁ ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏହି ବର୍ଦ୍ଧିତ ପାରଶ୍ରମିକ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ କରାଯିବ ।