ଜମି କିଣାବିକା ନେଇ ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ହେବ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର,୨୬/୦୫ : ଜମିଜମା ଇ-ରେଜିଷ୍ଟ୍ରେସନ୍‌ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଭିଡ଼ ସମସ୍ୟା ଦୂର କରିବା ଲାଗି ଏଣିକି ଅନ୍‌ ଲାଇନ୍‌ ସ୍ଲଟ୍ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଛି। ଜମି କିଣାବିକା ପାଇଁ ଅନଲାଇନ୍‌ରେ ଆଗୁଆ ସ୍ଲଟ୍‌ ବୁକିଂ କରିବାକୁ ପଡ଼ିବ। ସ୍ଲଟ୍‌ରେ ମିଳିଥିବା ସମୟ ଅନୁସାରେ ଜମି ପଞ୍ଜୀକରଣ ହେବ। ଅନଲାଇନ୍‌ରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇ ନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ। ଏନେଇ ଆଇଜିଆରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟପଟେ ଜଣେ ବ୍ୟକ୍ତି ବିଶ୍ବର ‌ଯେକୌଣସି ସ୍ଥାନରେ ଥିଲେ ବି ତାର ଜମିଜମା କିଣାବିକା ପଞ୍ଜୀକରଣ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ନାମ ପଞ୍ଜୀକରଣ କରି ସ୍ଲଟ ନେଇପାରି‌ବେ। ମିଳିଥିବା ସ୍ଲଟ୍ ଅନୁଯାୟୀ ସେହି ନିର୍ଦିଷ୍ଟ ଦିନ ବା ସମୟରେ ସବ ରେଜିଷ୍ଟ୍ରାର ଅଫିସ ଆସି ସେମାନଙ୍କ ପଞ୍ଜୀକରଣ କରାଇପାରିବେ। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ‌ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇବେ। ଏବେ ‌ରାଜ୍ୟର ୨୦୫ଟି ରେଜିଷ୍ଟ୍ରେସନ୍‌ କେନ୍ଦ୍ରରେ ଅନଲାଇନ୍‌ ସ୍ଲଟ ବୁକିଂ କରାଯାଉଛି। ଏହାକୁ ନେଇ ବିଧିବଦ୍ଧ ଗେଜେଟ୍ ମଧ୍ୟ ପ୍ରକାଶ କରାଯାଇଛି। ମେ ୨୩ ତାରିଖ ଦିନ ଏ ନେଇ ଓଡ଼ିଶା ଗେଜେଟ୍‌ରେ ଏ ସଂପର୍କିତ ନିୟମ ଓ ସୂଚନା ଜାରି କରାଯାଇଛି।