ବଜାରରେ ଟମାଟୋ ପରେ କନ୍ଦାଇଲାଣି ପିଆଜ

ନୂଆଦିଲ୍ଲୀ,୨୨/୦୮: ବଜାରରେ ଟମାଟୋର ଦର ଟିକେ କମିଆସିବା ବେଳକୁ ଏବେ ପିଆଜର ଦାମ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । କିଛିଦିନ ମଧ୍ୟରେ କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ଟଙ୍କାରେ ପହଂଚିସାରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷୁ ଗୋଏଲ ଖାଉଟି ଓ ପିଆଜ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

ସେ ନାସିକ ଠାରେ ଥିବା ଦେଶର ସବୁଠାରୁ ବଡ ପିଆଜ ମଣ୍ଡି ସହିତ ଜଡିତ ଚାଷୀ ଓ ବ୍ୟବାସୀୟଙ୍କ ଦ୍ୱାରା ଚାଲିଥିବା ଧର୍ମଘଟକୁ ନେଇ ସେମାନଙ୍କୁ ଭରଶା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ପିଆଜର ଦାମ ବୃଦ୍ଧି ହେବ ନାହିଁ । ଏହାସହ ସରକାରୀ ସ୍ତରରେ ପିଆଜ ଚାଷୀମାନଙ୍କର ଯେଭଳି କ୍ଷତି ହେବ ନାହିଁ ସେନେଇ ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଏକ୍ସପୋର୍ଟ ଶୁଳ୍କକୁ ବିରୋଧ କରି ଉଭୟ ପିଆଜ ଚାଷୀ ଓ ବ୍ୟବସାୟୀ ଧର୍ମଘଟ କରିଥିଲେ । ନାସିକ ଜିଲ୍ଲାରେ ମୋଟ ୧୫ ଟି କୃଷକ ମଣ୍ଡିରୁ ୧୩ଟି ମଣ୍ଡିରେ ପିଆଜ କ୍ରୟ ଓ ବିକ୍ରୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ଏନେଇ ସେ ମହାରାଷ୍ଟ୍ର ସରକାରର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବା ସହ ଚାଷୀମାନେ କିଭଳି ଉପଯୁକ୍ତ ମୂଲ୍ୟ ପାଇପାରିବେ ତାହା ଉପରେ ସରକାର ପଦକ୍ଷେପ ନେଉଛନ୍ତି ।