ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ସହିଦ

ଭୁବନେଶ୍ୱର,୧୧/୦୮: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି। ସୁଶାନ୍ତଙ୍କ ଘର କେନ୍ଦୁଝର  ଆନନ୍ଦପୁରରେ । ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ। ଏହାପରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଆଖିବୁଜା ଗୁଳିଚାଳନା ହୋଇଥିଲା ।ଯାହାଫଳରେ ସିଆରପିଏଫର ଦୁଇ ଜଣ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବଙ୍କ ଦେହରେ ଗୁଳି ବାଜି ଗୁରୁତର ହୋଇପଡ଼ିଥିଲେ।ଏହାପରେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା । ତେବେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ ।