ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଖେଳ ପଡ଼ିଆରେ ବଜ୍ରପାତ, ଜଣେ ମୃତ

ଭୁବନେଶ୍ୱର,୧୭/୯ : ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଖେଳ ପଡ଼ିଆରେ ବଜ୍ରପାତ ହୋଇଛି । ଫଳରେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ହୋଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଥିଲା ବିଶ୍ୱକର୍ମା ପୂଜା। ପ୍ରତିବର୍ଷ ପରି ଏଥର ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଚାଲିଥିଲା ଫୁଟ୍‌ବଲ୍‌ ମ୍ୟାଚ୍‌। ଖେଳ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲା। ପଡ଼ିଆ ଭିତରେ ଘମାଘୋଟ୍‌ ଖେଳ ଚାଲିଥିବା ବେଳେ ଅପରାହ୍ନରେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ବର୍ଷିବା ସହିତ ଘଡ଼ିଘଡ଼ି ମାରିଥିଲା। ବଜ୍ରପାତରେ ଫୁଟ୍‌ବଲ୍‌ ଖେଳ ଦେଖୁଥିବା ୪ ଦର୍ଶକ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଚିକିତ୍ସା ଚାଲିଛି।