କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତି ଦେଖି ଭିଜିଲାନ୍ସ ଟେରା, ଗିରଫ ହେଲେ ଭୀମସେନ ମହାରଣା

ଭୁବନେଶ୍ୱର,୨୨/୦୩ : ଯାଜପୁର ଜାରକା ଆର୍‌ଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଲାଞ୍ଚ ନେଇଥିବା ଟଙ୍କାରେ ଭୀମସେନ ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିଲେ । ସରକାରୀ ବାବୁ ଭୀମସେନଙ୍କର ପାଣି ବୋତଲ କାରଖାନା ରହିଛି । ଘର ପରିସରରେ ଏହି କାରଖାନା ରହିଛି । ପାଣି ବୋତଲ କାରଖାନାରେ ଏକ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଥିବା ସୂଚନା ରହିଛି । ବଡ଼ ଇଟା ତିଆରି କାରଖାନା ମଧ୍ୟ ରହିଛି । ଏହି କାରଖାନାରେ ବି ପହଞ୍ଚିଛି ଭିଜିଲାନ୍ସ ଟିମ୍ । ଗତକାଲି ରାତିରୁ ମାରାଥନ୍ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ଯାଉଥିବା ବେଳେ ଟାଙ୍ଗୀ ଟୋଲ୍‌ଗେଟ୍‌ ନିକଟରେ ଧରାପଡ଼ିଥିଲେ ଭୀମସେନ । ବିଳାସପୂର୍ଣ୍ଣ ଘର ରହିଥିବାବେଳେ ସେଠାରେ ହିଁ ତାଙ୍କର ଫର୍ଣ୍ଣିଚର ସୋ’ରୁମ୍ ବି ରହିଛି । କେବଳ ଏତିକି ନୁହେଁ ପାଣି ପାଉଚ୍‌ ଫ୍ୟାକ୍ଟ୍ରି ବି ରହିଛି । ଭୀମସେନଙ୍କ ଠାରୁ ନଗଦ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଛି । ଏହି ଟଙ୍କା କେଉଁଠାରୁ ଆଣୁଥିଲେ ତାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଭୀମସେନ । ଭିଜିଲାନ୍ସର ଆଉ ଏକ ଟିମ୍ ତାଙ୍କ ବାଲିଅନ୍ତା ଘର, କୁଆଖିଆରେ ଥିବା ଅଫିସ୍‌ରେ ଚଢାଉ କରିଛି । ଏହାସହ ଭିଜିଲାନ୍ସ ଯନ୍ତ୍ରୀ ଭୀମସେନ ମହାରଣାଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *