ଭୁବନେଶ୍ୱର,୧୯/୧ : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ତାଲିକାକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ। ଏକ ମାସ ଭିତରେ ନିୟମାବଳୀ ଅନୁସାରେ ସାନି ମନୋନୟନ ତାଲିକା ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍ ହୋଇଥିବା ଦୁଇ ଓଡ଼ିଆ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲ୍ମାଲ୍ ଲଭ୍’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଓଡ଼ିଆ ସିନେ ସଂସ୍କୃତିରେ ମୌଳିକତା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ‘ଚେକ୍ ଆଣ୍ଡ ବାଲାନ୍ସ’ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଉଚିତ। ଚଳଚ୍ଚିତ୍ର ପୁରସ୍କାର ଚୟନ କ୍ଷେତ୍ରରେ ହୋଇଥିବା ଅନିୟମିତତାକୁ ସହଜରେ ଏଡ଼ାଇ ଦିଆଯାଇ ପାରିଥାନ୍ତା ଯଦି ଜୁରିମାନେ ଅଧିକ ସତର୍କ ଓ ନିଜ ଗୁରୁ ଦାୟିତ୍ବ ନେଇ ସଚେତନ ଥାନ୍ତେ ବୋଲି ହାଇକୋର୍ଟ କହିଛନ୍ତି। ଜୁରିମାନେ ନିରପେକ୍ଷ ଓ ସତ୍ୟନିଷ୍ଠ ହେବା ଉଚିତ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।